ଆୟୁବ - ମୋହର ସତ୍ୟତା ରଖିବି
27
ଏଥିଉତ୍ତାରେ ଆୟୁବ ପୁନର୍ବାର ଆପଣା ପ୍ରସଙ୍ଗ ଧରି କହିଲା,
2 “ପରମେଶ୍ୱର, ଯେ ମୋହର ସ୍ୱତ୍ୱ ହରଣ କରିଅଛନ୍ତି;
ସର୍ବଶକ୍ତିମାନ, ଯେ ମୋହର ପ୍ରାଣକୁ ତିକ୍ତ କରିଅଛନ୍ତି;
3 (କାରଣ ଏବେ ହେଁ ମୋର ଜୀବନ ମୋʼ ମଧ୍ୟରେ ସୁସ୍ଥ ଅଛି
ଓ ମୋʼ ନାସିକାରେ ପରମେଶ୍ୱର ଦତ୍ତ ନିଶ୍ୱାସ ଅଛି); ସେ ଜୀବିତ ଥିବା ପ୍ରମାଣେ,
4 ନିଶ୍ଚୟ ମୋʼ ଓଷ୍ଠାଧର ଅଧର୍ମର କଥା କହିବ ନାହିଁ
ଓ ମୋହର ଜିହ୍ୱା ପ୍ରତାରଣାର କଥା ଉଚ୍ଚାରଣ କରିବ ନାହିଁ।
5 ମୁଁ ଯେ ତୁମ୍ଭମାନଙ୍କୁ ନିର୍ଦ୍ଦୋଷ କରିବି, ଏହା କଦାପି ନ ହେଉ;
ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା ଆପଣାଠାରୁ ଦୂର କରିବି ନାହିଁ।
6 ମୁଁ ଆପଣା ଧାର୍ମିକତା ଦୃଢ଼ କରି ଧରୁଅଛି, ଆଉ ତାହା ଛାଡ଼ିବି ନାହିଁ;
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋʼ ଅନ୍ତଃକରଣ ମୋତେ ନିନ୍ଦା କରିବ ନାହିଁ।
7 ମୋହର ଶତ୍ରୁ ଦୁଷ୍ଟର ପରି ହେଉ
ଓ ମୋʼ ପ୍ରତିକୂଳରେ ଉଠିବା ଲୋକ ଅଧାର୍ମିକ ତୁଲ୍ୟ ହେଉ।
8 କାରଣ ଭକ୍ତିହୀନ ଲାଭ ପ୍ରାପ୍ତ ହେଲେ ହେଁ,
ପରମେଶ୍ୱର ତାହାର ପ୍ରାଣ ହରଣ କଲେ, ତାହାର ପ୍ରତ୍ୟାଶା କଅଣ?
9 ତାହା ଉପରେ ଦୁଃଖ ଉପସ୍ଥିତ ହେଲେ କି
ପରମେଶ୍ୱର ତାହାର କ୍ରନ୍ଦନ ଶୁଣିବେ?
10 ସେ କି ସର୍ବଶକ୍ତିମାନ ପରମେଶ୍ୱରଙ୍କଠାରେ ଆନନ୍ଦ କରିବ
ଓ ସବୁ ସମୟରେ ପରମେଶ୍ୱରଙ୍କୁ ଡାକିବ?
11 ମୁଁ ପରମେଶ୍ୱରଙ୍କ ହସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବି;
ଯାହା ସର୍ବଶକ୍ତିମାନଙ୍କଠାରେ ଅଛି, ତାହା ମୁଁ ଗୋପନ କରିବି ନାହିଁ।
12 ଦେଖ, ତୁମ୍ଭେ ସମସ୍ତେ ନିଜେ ତାହା ଦେଖିଅଛ;
ତେବେ କାହିଁକି ତୁମ୍ଭେମାନେ ସମ୍ପୂର୍ଣ୍ଣ ଅସାର ହୋଇଅଛ?”
13 “ପରମେଶ୍ୱରଙ୍କ ନିକଟରେ ଦୁଷ୍ଟ ଲୋକର ଏହି ବାଣ୍ଟ
ଓ ଉପଦ୍ରବୀମାନେ ସର୍ବଶକ୍ତିମାନଙ୍କଠାରୁ ଏହି ଅଧିକାରପ୍ରାପ୍ତ ହୁଅନ୍ତି।
14 ଯେବେ ତାହାର ସନ୍ତାନଗଣ ବୃଦ୍ଧି ପାଆନ୍ତି, ତେବେ ଖଡ୍ଗ ନିମନ୍ତେ
ଓ ତାହାର ସନ୍ତାନସନ୍ତତି ଭକ୍ଷ୍ୟରେ ତୃପ୍ତ ହେବେ ନାହିଁ।
15 ତାହାର ଅବଶିଷ୍ଟ ଲୋକମାନେ ମୃତ୍ୟୁୁରେ କବରସ୍ଥ ହେବେ
ଓ ସେମାନଙ୍କରa ବିଧବାମାନେ କିଛି ବିଳାପ କରିବେ ନାହିଁ।
16 ଯଦ୍ୟପି ସେ ଧୂଳି ପରି ରୂପା ଗଦା କରେ
ଓ କର୍ଦ୍ଦମ ପରି ବସ୍ତ୍ର ପ୍ରସ୍ତୁତ କରେ,
17 ସେ ତାହା କରିପାରେ, ତଥାପି ଧାର୍ମିକ ଲୋକେ ତାହା ପରିଧାନ କରିବେ
ଓ ନିର୍ଦ୍ଦୋଷ ଲୋକେ ରୂପା ବିଭାଗ କରି ନେବେ।
18 ସେ କୀଟ ପରି ଓ ଜଗୁଆଳିର କୃତ କୁଟୀର ପରି
ଆପଣା ଗୃହ ନିର୍ମାଣ କରେ।
19 ସେ ଧନୀ ହୋଇ ଶୟନ କରେ, ମାତ୍ର ସେ ସଂଗୃହୀତ ହେବ ନାହିଁ;
ସେ ଆପଣା ଚକ୍ଷୁ ଫିଟାଏ, ଆଉ ସେ ନ ଥାଏ।
20 ଜଳରାଶି ପରି ତାହାକୁ ଭୟ ଆକ୍ରମଣ କରେ;
ରାତ୍ରିରେ ତୋଫାନ ତାହାକୁ ଅପହରଣ କରିନିଏ।
21 ପୂର୍ବୀୟ ବାୟୁ ତାହାକୁ ଉଡ଼ାଇ ନିଏ ଓ ସେ ଚାଲିଯାଏ
ଓ ସେ ତାହାକୁ ସ୍ୱ ସ୍ଥାନରୁ ଝାଡ଼ି ନିଏ।
22 କାରଣ ପରମେଶ୍ୱର ଦୟା ନ କରି ତାହା ପ୍ରତି ତୀର ନିକ୍ଷେପ କରିବେ;
ସେ ତାହାଙ୍କ ହସ୍ତରୁ ପଳାଇବାକୁ ଇଚ୍ଛା କରିବ।
23 ଲୋକମାନେ ତାହା ପ୍ରତି ହାତତାଳି ମାରିବେ
ଓ ଶୀଷ୍ ମାରି ତାହାକୁ ସ୍ୱ ସ୍ଥାନରୁ ଦୂର କରିବେ।