The Gospel according to Matthew
ମାଥିଉ ଲିଖିତ ସୁସମାଚାର
ଲେଖକ
ଏହି ପୁସ୍ତକର ଲେଖକ ମାଥିଉ, ଜଣେ କର ଆଦାୟକାରୀ ବ୍ୟକ୍ତି ଥିଲେ ଯିଏ ନିଜ ବ୍ୟବସାୟକୁ ଛାଡ଼ି ଯୀଶୁଙ୍କ ଅନୁସରଣ କରିଥିଲେ। (ମାଥି. 9:9-13) ମାର୍କ ଏବଂ ଲୂକ ନିଜ ନିଜ ପୁସ୍ତକରେ ମାଥିଉଙ୍କୁ ଲେବୀ ନାମରେ ସମ୍ବୋଧନ କରନ୍ତି। ତାହାଙ୍କ ନାମର ଅର୍ଥ “ପ୍ରଭୁଙ୍କର ଦାନ” ଅଟେ। ପ୍ରଥମ ଶତାବ୍ଦୀ ମଣ୍ଡଳୀର ନେତାମାନେ ସର୍ବସମ୍ମତି ଭାବରେ ମାଥିଉ ହିଁ ଲେଖକ ଅଟନ୍ତି ବୋଲି ସହମତ ହୋଇଥିଲେ, ଯିଏ 12 ଜଣ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ଏବଂ ଯିଏ ଏହି ପୁସ୍ତକର ଲେଖକ ଅଟନ୍ତି। ଯୀଶୁଙ୍କର ସେବାକାର୍ଯ୍ୟର ସମସ୍ତ ଘଟଣା ବିଷୟରେ ମାଥିଉ ପ୍ରତ୍ୟକ୍ଷଦର୍ଶୀ ବ୍ୟକ୍ତି ଅଟନ୍ତି। ତୁଳନାତ୍ମକ ଅଧ୍ୟୟନରେ ମାଥିଉ ସହିତ ଅନ୍ୟ ସୁସମାଚାର ମଧ୍ୟ ଏହା ପ୍ରମାଣ କରେ ଯେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରେରିତମାନଙ୍କର ସାକ୍ଷ୍ୟ ମଧ୍ୟରେ କୌଣସି ପ୍ରଭେଦ ନାହିଁ।
ସମୟ ଓ ସ୍ଥାନ
ପ୍ରାୟ 50-70 ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ମାଥିଉ ସୁସମାଚାରରେ ଯିହୁଦୀମାନଙ୍କର ପରମ୍ପରା ଅନୁଧ୍ୟାନ କଲେ ଏହା ପ୍ରତୀତ ହୁଏ ଯେ ଏହି ପୁସ୍ତକ ପାଲେଷ୍ଟାଇନ କିମ୍ବା ସିରିୟାରେ ଲେଖାଯାଇଥାଇପାରେ, ଯଦିଓ ଅନେକେ ପ୍ରସ୍ତାବ ଦିଅନ୍ତି ଯେ ଏହା ଆନ୍ତିୟଖିଆରୁ ଲେଖାଯାଇଥିବ।
ପ୍ରାପକ
ମୂଳତଃ, ମାଥିଉ ପୁସ୍ତକ ଗ୍ରୀକ ଭାଷାରେ ଲେଖାଯାଇ ଥିଲା, ହୁଏତ, ଗ୍ରୀକ ଭାଷାବାଦୀ ଯିହୁଦୀ ପାଠକମାନଙ୍କୁ ଦୃଷ୍ଟିରେ ରଖି ଏହି ପୁସ୍ତକ ଲେଖାଯାଇଥିଲା। ପୁସ୍ତକର ଅନେକ ବିଷୟଗୁଡ଼ିକ ଯିହୁଦୀ ପାଠକମାନଙ୍କୁ ଦର୍ଶାଏ: ମାଥିଉ ପୁରାତନ ନିୟମର ସମ୍ପୂର୍ଣ୍ଣତାକୁ ପ୍ରାଧାନ୍ୟ ଦିଅନ୍ତି; ସେ ଯୀଶୁଙ୍କୁ ଅବ୍ରହାମଙ୍କ ପିଢିରୁ ଆଗତ ହେବାର ପ୍ରମାଣ କରନ୍ତି (ମାଥି. 1:1,17) ସେ ଯିହୁଦୀମାନଙ୍କ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି (ଉଦାହରଣ: ସ୍ୱର୍ଗ ରାଜ୍ୟ, ଯେଉଁଠାରେ ଯିହୁଦୀମାନେ ଈଶ୍ଵରଙ୍କ ନାମକୁ ନେବା ପାଇଁ ଅନିଚ୍ଛା ପ୍ରକାଶ କରନ୍ତି, ସେହି ବିଷୟକୁ ସେ ଲେଖିଛନ୍ତି ଏବଂ ଯୀଶୁ ଯେ ଦାଉଦଙ୍କ ସନ୍ତାନ, ଏହାକୁ ମଧ୍ୟ ସେ ଗୁରୁତ୍ଵ ଦିଅନ୍ତି)। (ମାଥି. 1:1; 9:27; 12:23; 15:22; 20:30; 31; 21:9,15; 22:41,45)। ଏହି ପୁସ୍ତକ ପ୍ରକାଶ କରେ ଯେ ମାଥିଉ ଯିହୁଦୀମାନଙ୍କ ପ୍ରତି ଅଧିକ କେନ୍ଦ୍ରିତ ଥିଲେ।
ଉଦ୍ଦେଶ୍ୟ
ଯିହୁଦୀ ପାଠକମାନଙ୍କୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଜଣାଇବା ନିମନ୍ତେ ମାଥିଉ ଏହି ସୁସମାଚାର ଲେଖିଛନ୍ତି। ସେ ଈଶ୍ଵରଙ୍କ ରାଜ୍ୟକୁ ମନୁଷ୍ୟମାନଙ୍କ ମଧ୍ୟକୁ ଆଣିବା ବିଷୟକୁ ଗୁରୁତ୍ଵ ଦିଅନ୍ତି। ସେ ଯୀଶୁଙ୍କୁ ରାଜା ବୋଲି ସମ୍ବୋଧନ କରନ୍ତି ଯିଏ ପୁରାତନ ନିୟମର ଭବିଷ୍ୟତବାଣୀ ଓ ଆଶା ସଫଳ କରନ୍ତି (ମାଥି. 1:1; 16:16; 20:28)।
ବିଷୟବସ୍ତୁ
ଯୀଶୁ ଯିହୁଦୀମାନଙ୍କର ରାଜା
ରୂପରେଖା
1. 1. ଯୀଶୁଙ୍କର ଜନ୍ମ — 1:1-2:23
2. ଗାଲିଲୀରେ ଯୀଶୁଙ୍କର ସେବାକାର୍ଯ୍ୟ — 3:1-18:35
3. ଯିହୂଦା ପ୍ରଦେଶରେ ଯୀଶୁଙ୍କର ସେବାକାର୍ଯ୍ୟ — 19:1-20:34
4. ଯିହୂଦା ପ୍ରଦେଶରେ ଶେଷ ଦିନଗୁଡ଼ିକ — 21:1-27:66
5. ଶେଷ ଘଟଣାଗୁଡ଼ିକ — 28:1-20