ପରମେଶ୍ୱରଙ୍କ ଅଭିଯୋଗ
6
ସଦାପ୍ରଭୁ ଯାହା କହନ୍ତି, ତାହା ତୁମ୍ଭେମାନେ ଏବେ ଶୁଣ;
ତୁମ୍ଭେ ଉଠ, ପର୍ବତଗଣର ସମ୍ମୁଖରେ ବିବାଦ କର
ଓ ଉପପର୍ବତଗଣ ତୁମ୍ଭର ରବ ଶୁଣନ୍ତୁ।
2 ହେ ପର୍ବତଗଣ,
ହେ ପୃଥିବୀର ଅଟଳ ଭିତ୍ତିମୂଳସକଳ,
ତୁମ୍ଭେମାନେ ସଦାପ୍ରଭୁଙ୍କର ବିବାଦ ବାକ୍ୟ ଶୁଣ;
କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି
ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ।
3 “ହେ ଆମ୍ଭର ଲୋକ, ତୁମ୍ଭ ପ୍ରତି ଆମ୍ଭେ କʼଣ କରିଅଛୁ?
ଓ କାହିଁରେ ଆମ୍ଭେ ତୁମ୍ଭକୁ କ୍ଳାନ୍ତ କରିଅଛୁ?
ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦିଅ।
4 ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ
ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ;
ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ।
5 ହେ ଆମ୍ଭର ଲୋକେ, ମୋୟାବର ରାଜା ବାଲାକ କି ମନ୍ତ୍ରଣା କରିଥିଲା
ଓ ବିୟୋରର ପୁତ୍ର ବିଲୀୟମ୍ ତାହାକୁ କି ଉତ୍ତର ଦେଇଥିଲା,
ତାହା ଏବେ ସ୍ମରଣ କର; ଶିଟୀମଠାରୁ ଗିଲ୍ଗଲ୍ ପର୍ଯ୍ୟନ୍ତ ସ୍ମରଣ କର,a
ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କର ନ୍ୟାୟ କର୍ମସକଳ ଜ୍ଞାତ ହୋଇ ପାରିବ।”
ପରମେଶ୍ୱର କʼଣ ଚାହାନ୍ତି?
6 “ଆମ୍ଭେ କଅଣ ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା
ଓ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବା?
ଆମ୍ଭେ କି ହୋମବଳି ରୂପେ
ଏକ ବର୍ଷୀୟ ଗୋବତ୍ସମାନ ନେଇ ତାହାଙ୍କ ସମ୍ମୁଖକୁ ଆସିବା?
7 ସହସ୍ର ସହସ୍ର ମେଷରେ
ଅବା ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କି ପ୍ରସନ୍ନ ହେବେ?
ଆମ୍ଭେ ଆପଣା ଆଜ୍ଞାଲଙ୍ଘନ ସକାଶେ କି ଆପଣା ପ୍ରଥମଜାତକୁ,
ଆମ୍ଭ ପ୍ରାଣର ପାପ ସକାଶେ କି ଆପଣା ଶରୀରର ଫଳ ଦାନ କରିବା?”
8 ହେ ମନୁଷ୍ୟ, ଯାହା ଉତ୍ତମ,
ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି;
ନ୍ୟାୟାଚରଣ, ଦୟା ଭଲ ପାଇବା
ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର,
ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?
ଦୁଷ୍ଟର ବିନାଶ
9 ସଦାପ୍ରଭୁ ଏହି ନଗର ପ୍ରତି ଘୋଷଣା କରୁଅଛି
ଓ ଜ୍ଞାନବାନ ମନୁଷ୍ୟ ତୁମ୍ଭର ନାମ ଦେଖିବ।
ତୁମ୍ଭେମାନେ ଦଣ୍ଡ
ଓ ତନ୍ନିରୂପଣକାରୀଙ୍କୁ ମାନ।
10 ଦୁଷ୍ଟର ଗୃହରେ କି ଏବେ ହେଁ ଦୁଷ୍ଟତାର ଭଣ୍ଡାର
ଓ ଘୃଣାଯୋଗ୍ୟ ସାନ ଐଫା ଅଛି?
11 ଆମ୍ଭେ କି ଦୁଷ୍ଟତାର ନିକ୍ତିରେ
ଓ ଛଳନାରୂପ ବଟଖରାର ଥଳୀରେ ନିର୍ଦ୍ଦୋଷ ହେବା।
12 ସେହି ସ୍ଥାନର ଧନୀ ଲୋକମାନେ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଅଛନ୍ତି
ଓ ତହିଁର ନିବାସୀଗଣ ମିଥ୍ୟା କହିଅଛନ୍ତି,
ପୁଣି ସେମାନଙ୍କ ମୁଖ ମଧ୍ୟରେ ସେମାନଙ୍କ ଜିହ୍ୱା ପ୍ରବଞ୍ଚକ।
13 ଏଥିପାଇଁ ଆମ୍ଭେ ମଧ୍ୟ ବେଦନାଯୁକ୍ତ କ୍ଷତରେ ତୁମ୍ଭକୁ ପ୍ରହାର କରିଅଛୁ;
ଆମ୍ଭେ ତୁମ୍ଭର ସମସ୍ତ ପାପ ସକାଶୁ ତୁମ୍ଭକୁ ଉଚ୍ଛିନ୍ନ କରିଅଛୁ।
14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ନୋହିବ
ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ;
ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବୋହି ନେଇ ପାରିବ ନାହିଁ
ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ୍ଗକୁ ଦେବା।
15 ତୁମ୍ଭେ ବୁଣିବ, ମାତ୍ର କାଟିବ ନାହିଁ;
ତୁମ୍ଭେ ଜୀତଫଳ ପେଷିବ, ମାତ୍ର ଆପଣା ଦେହରେ ତୈଳ ମର୍ଦ୍ଦନ କରିବ ନାହିଁ;
ଦ୍ରାକ୍ଷାଫଳ ପେଷିବ, ମାତ୍ର ଦ୍ରାକ୍ଷାରସ ପାନ କରିବ ନାହିଁ।
16 କାରଣ ଅମ୍ରିଙ୍କର ବିଧି
ଓ ଆହାବ-ବଂଶର କ୍ରିୟାସକଳ ପାଳନ କରାଯାଉଅଛି
ଓ ତୁମ୍ଭେମାନେ ସେମାନଙ୍କ ପରାମର୍ଶରେ ଚାଲୁଅଛ;
ତହିଁ ସକାଶୁ ଆମ୍ଭେ ତୁମ୍ଭକୁ ଉତ୍ସନ୍ନ (ସ୍ଥାନ) କରିବା
ଓ ତହିଁର ନିବାସୀମାନଙ୍କୁ ଶୀସ୍ ଶବ୍ଦର ବିଷୟ କରିବା;
ଆଉ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ଅପମାନର ଭାର ବହିବ।