ପ୍ରକୃତ ଉପବାସ
58
“ମୁକ୍ତ କଣ୍ଠରେ ଘୋଷଣା କର, ସ୍ୱର ଊଣା କର ନାହିଁ, ତୂରୀ ପରି ଆପଣା ରବ ଉଠାଅ,
ଆମ୍ଭ ଲୋକମାନଙ୍କୁ ସେମାନଙ୍କ ଅଧର୍ମ ଓ ଯାକୁବ ବଂଶକୁ ସେମାନଙ୍କ ପାପସବୁ ଜଣାଅ।
2 ତଥାପି ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରନ୍ତି ଓ ଆମ୍ଭ ପଥ ବିଷୟ ଜାଣିବାକୁ ସନ୍ତୁଷ୍ଟ ହୁଅନ୍ତି;
ଯେଉଁ ଗୋଷ୍ଠୀୟ ଲୋକେ ଧର୍ମକର୍ମ କରନ୍ତି ଓ ଆପଣାମାନଙ୍କ ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି,
ସେମାନଙ୍କ ପରି ସେମାନେ ଧର୍ମ ବିଧାନ ବିଷୟ ଆମ୍ଭକୁ ପଚାରନ୍ତି ଓ ପରମେଶ୍ୱରଙ୍କର ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।
3 ସେମାନେ କୁହନ୍ତି, ‘ଆମ୍ଭେମାନେ କାହିଁକି ଉପବାସ କରିଅଛୁ ଓ ତୁମ୍ଭେ ଦୃଷ୍ଟି କରୁ ନାହଁ?’ ଆମ୍ଭେମାନେ କାହିଁକି ଆପଣା ଆପଣା ପ୍ରାଣକୁ କ୍ଲେଶ ଦେଇଅଛୁ ଓ ତୁମ୍ଭେ ମନୋଯୋଗ କରୁ ନାହଁ?
ଦେଖ, ତୁମ୍ଭେମାନେ ଉପବାସ ଦିନ ଆପଣା ସୁଖ ଚେଷ୍ଟା କରୁଅଛ ଓ ବଳପୂର୍ବକ ସବୁ ପରିଶ୍ରମ ନେଉଅଛ।
4 ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ, ଆଉ ଦୁଷ୍ଟତାରୂପ ମୁଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ;
ତୁମ୍ଭମାନଙ୍କର ରବ ଊର୍ଦ୍ଧ୍ୱରେ ଯେପରି ଶୁଣାଯିବ, ଏପରି ଉପବାସ ଆଜି ତୁମ୍ଭେମାନେ କରୁ ନାହଁ।
5 ଏହି ପ୍ରକାର ଉପବାସ, ମନୁଷ୍ୟ ଆପଣା ପ୍ରାଣକୁ କ୍ଲେଶ ଦେବା ନିମନ୍ତେ ଏହି ପ୍ରକାର ଦିନ, ଆମ୍ଭେ କʼଣ ମନୋନୀତ କରିଅଛୁ?
ନଳବୃକ୍ଷ ପରି ମସ୍ତକ ନୁଆଁଇବାର, ପୁଣି ଚଟବସ୍ତ୍ର ଓ ଭସ୍ମ ଆପଣା ତଳେ ବିଛାଇବାର,
ଏହାକୁ ତୁମ୍ଭେ ଉପବାସ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କି ଗ୍ରାହ୍ୟ ଦିନ ବୋଲି କହିବ?
6 ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର
ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ିଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର,
7 କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ଓ ତାଡ଼ିତ ଦୁଃଖୀଲୋକକୁ ଆପଣା ଗୃହକୁ ଆଣିବାର,
ତୁମ୍ଭେ ଉଲଙ୍ଗକୁ ଦେଖିଲେ, ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର,
ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରି ନାହୁଁ?
8 ଏହା କଲେ, ଅରୁଣ ତୁଲ୍ୟ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ;
ପୁଣି, ତୁମ୍ଭର ଧର୍ମ ତୁମ୍ଭର ଅଗ୍ରବର୍ତ୍ତୀ ହେବ; ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭର ପଶ୍ଚାଦ୍‍ବର୍ତ୍ତୀ ହେବ।
9 ସେତେବେଳେ ତୁମ୍ଭେ ଡାକିବ ଓ ସଦାପ୍ରଭୁ ଉତ୍ତର ଦେବେ; ତୁମ୍ଭେ ଆର୍ତ୍ତସ୍ୱର କରିବ, ଆଉ ସେ କହିବେ, ‘ଆମ୍ଭେ ଉପସ୍ଥିତ ଅଛୁ।’
ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜ୍ଜନ ଓ ଅଧର୍ମ ବାକ୍ୟ ଦୂର କର;
10 ପୁଣି, ଯଦି କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର,
ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ;
11 ଆଉ, ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ
ଓ ତୁମ୍ଭ ଅସ୍ଥିସକଳକୁ ବଳିଷ୍ଠ କରିବେ; ତହିଁରେ ତୁମ୍ଭେ ଜଳ ସିଞ୍ଚିତ ଉଦ୍ୟାନ ତୁଲ୍ୟ
ଓ ଜଳାଭାବ ନ ଥିବା ନିର୍ଝର ତୁଲ୍ୟ ହେବ।
12 ପୁଣି, ତୁମ୍ଭ ବଂଶୀୟ ଲୋକେ ପୁରାତନ ଉତ୍ସନ୍ନ ସ୍ଥାନସକଳ ପୁନଃନିର୍ମାଣ କରିବେ; ତୁମ୍ଭେ ପୂର୍ବକାଳର ଅନେକ ଭିତ୍ତିମୂଳର ଉପରେ ଗାନ୍ଥିବ;
ପୁଣି, ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।
ବିଶ୍ରାମବାର ବିଧି ପାଳନର ପୁରସ୍କାର
13 ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ, ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ଆପଣା ପାଦ ଫେରାଅ;
ପୁଣି, ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ;
ଆଉ, ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ:
14 ତେବେ ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ; ପୁଣି, ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥଳୀମାନରେ ଆରୋହଣ କରାଇବା;
ଆଉ, ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା: କାରଣ ସଦାପ୍ରଭୁଙ୍କର ମୁଖ ଏହା କହିଅଛି।”