ଦେଶୀୟଗଣଙ୍କ ବିଚାର
34
ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀଗଣ, ତୁମ୍ଭେମାନେ ମନୋଯୋଗ କର;
ପୃଥିବୀ ଓ ତତ୍ପୂର୍ଣ୍ଣତା ଶ୍ରବଣ କରୁ; ଜଗତ ଓ ତଦୁତ୍ପନ୍ନସକଳ ପଦାର୍ଥ ଶ୍ରବଣ କରୁ।
2 କାରଣ ଦେଶୀୟ ସମସ୍ତଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ଓ ସେମାନଙ୍କର ସମସ୍ତ ସୈନ୍ୟସାମନ୍ତର ପ୍ରତିକୂଳରେ ତାହାଙ୍କର ପ୍ରଚଣ୍ଡ କୋପ ଅଛି;
ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ସେ ସେମାନଙ୍କୁ ହତ ହେବା ନିମନ୍ତେ ସମର୍ପଣ କରିଅଛନ୍ତି।
3 ସେମାନଙ୍କର ହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ, ସେମାନଙ୍କ ଶବରୁ ଦୁର୍ଗନ୍ଧ ଉଠିବ
ଓ ସେମାନଙ୍କ ରକ୍ତରେ ପର୍ବତମାନ ତରଳି ଯିବ।
4 ପୁଣି, ଆକାଶମଣ୍ଡଳର ସୈନ୍ୟ ସମସ୍ତେ କ୍ଷୟ ପାଇବେ ଓ ଗଗନମଣ୍ଡଳ ନଳାକାର ପୁସ୍ତକ ତୁଲ୍ୟ ଗୁଡ଼ା ହେବ;
ଆଉ, ଯେପରି ଦ୍ରାକ୍ଷାଲତାର ଜୀର୍ଣ୍ଣପତ୍ର ଓ ଡିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର, ସେହିପରି ସେମାନଙ୍କର ସୈନ୍ୟସାମନ୍ତସବୁ କ୍ଷୟ ପାଇବେ।
5 କାରଣ ଆମ୍ଭର ଖଡ୍ଗ ସ୍ୱର୍ଗରେ ପରିତୃପ୍ତ ରୂପେ ପାନ କରିଅଛି;
ଦେଖ, ବିଚାର ସାଧନାର୍ଥେ ତାହା ଇଦୋମର ଓ ଆମ୍ଭର ଅଭିଶପ୍ତ ଲୋକମାନଙ୍କର ଉପରେ ପଡ଼ିବ।
6 ସଦାପ୍ରଭୁଙ୍କ ଖଡ୍ଗ ରକ୍ତରେ ପରିତୃପ୍ତ, ମେଦରେ ଓ ଛାଗଗଣର ଗୁର୍ଦାର ମେଦରେ ପୁଷ୍ଟ ହୋଇଅଛି;
କାରଣ ବସ୍ରାରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହାହତ୍ୟାକାଣ୍ଡ ହେବ।
7 ପୁଣି, ସେମାନଙ୍କ ସଙ୍ଗେ ବନ୍ୟଗୋରୁ, ବୃଷଭ ସଙ୍ଗେ ଯୁବା ବୃଷ ଆସିବେ;
ତହିଁରେ ସେମାନଙ୍କ ଦେଶ ରକ୍ତରେ ମତ୍ତ ଓ ସେମାନଙ୍କ ଧୂଳି ମେଦରେ ପୁଷ୍ଟ ହେବ।
8 କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ, ଏହା ସିୟୋନର ବିବାଦ ସମ୍ବନ୍ଧୀୟ ପ୍ରତିଫଳର ବର୍ଷ।
9 ପୁଣି, ତହିଁର ସ୍ରୋତସବୁ ଝୁଣାରେ, ତହିଁର ଧୂଳି ଗନ୍ଧକରେ ପରିଣତ ହେବ
ଓ ତହିଁର ଭୂମି ପ୍ରଜ୍ୱଳିତ ଝୁଣା ହେବ।
10 ତାହା ଦିବାରାତ୍ର ନିର୍ବାଣ ହେବ ନାହିଁ; ତହିଁର ଧୂମ ସଦାକାଳ ଉଠିବ;
ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ; ଅନନ୍ତକାଳ ତାହାର ମଧ୍ୟଦେଇ କେହି ଗମନ କରିବ ନାହିଁ।
11 ମାତ୍ର ପାଣିଭେଳା ଓ ଝିଙ୍କ ତାହା ଅଧିକାର କରିବେ; ଆଉ, ପେଚା ଓ ଡାମରା କାଉ ତହିଁ ମଧ୍ୟରେ ବାସ କରିବେ;
ପୁଣି, ସେ ତହିଁ ଉପରେ ଅବସ୍ତୁତାରୂପ ମାନରଜ୍ଜୁ ଓ ଶୂନ୍ୟତାରୂପ ଓଳମ ଟାଣିବେ।
12 ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ୱ କରିବାକୁ ଡାକିବେ;
ମାତ୍ର କେହି ସେଠାରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ।
13 ତହିଁର ଅଟ୍ଟାଳିକାସକଳରେ କଣ୍ଟକ ଓ ତହିଁର ଦୁର୍ଗସବୁରେ ବିଛୁଆତି, କଣ୍ଟକଲତା ବଢ଼ିବ,
ତାହା ଶୃଗାଳଗଣର ବାସସ୍ଥାନ ଓ ଓଟପକ୍ଷୀଗଣର ଚରାସ୍ଥାନ ହେବ।
14 ପୁଣି, ସେଠାରେ ବନ୍ୟ ପଶୁଗଣ କେନ୍ଦୁଆମାନଙ୍କ ସଙ୍ଗେ ମିଳିବେ ଓ ଛାଗ ଦେବତା ଆପଣା ସଙ୍ଗୀକୁ ଡାକିବ;
ଆହୁରି, ନିଶାଚର ସେଠାରେ ବାସ କରି ବିଶ୍ରାମ-ସ୍ଥାନ ପାଇବ।
15 ସେହି ସ୍ଥାନରେ ଡିଆଁ ସର୍ପ ଆପଣା ବସା କରି ଡିମ୍ବ ଦେବ ଓ ଛୁଆ ଫୁଟାଇ ଆପଣା ଛାୟା ତଳେ ଏକତ୍ର କରିବ;
ଆହୁରି, ଚିଲମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗିନୀ ସହିତ ସେଠାରେ ଏକତ୍ର ହେବେ।
16 ତୁମ୍ଭେମାନେ ସଦାପ୍ରଭୁଙ୍କ ନଳାକାର ପୁସ୍ତକରୁ ଅନୁସନ୍ଧାନ କରି ପାଠ କର; ଏମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ହେବ ନାହିଁ,
କେହି ଆପଣା ସଙ୍ଗିନୀବିହୀନ ହେବ ନାହିଁ; କାରଣ ମୋʼ ମୁଖ ଦ୍ୱାରା ସେ ଏହା ଆଜ୍ଞା କରିଅଛନ୍ତି ଓ ତାହାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଅଛି।
17 ପୁଣି, ସେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ଓ ତାହାଙ୍କର ହସ୍ତ ପରିମାପକ ରଜ୍ଜୁ ଦ୍ୱାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି;
ସେମାନେ ତାହା ସଦାକାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ।