ବ୍ୟଭିଚାର ବିରୁଦ୍ଧରେ ଚେତାବନୀ
5
ହେ ମୋହର ପୁତ୍ର, ମୋʼ ଜ୍ଞାନରେ ମନ ଦିଅ;
ମୋʼ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର;
2 ଯେପରି ତୁମ୍ଭେ ପରିଣାମଦର୍ଶିତା ରକ୍ଷା କରି ପାରିବ
ଓ ଯେପରି ତୁମ୍ଭ ଓଷ୍ଠାଧର ଜ୍ଞାନର କଥା ପାଳନ କରି ପାରିବ।
3 ଯେହେତୁ ପରସ୍ତ୍ରୀର ଓଷ୍ଠରୁ ଟୋପା ଟୋପା ମଧୁ କ୍ଷରେ,
ତାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ ଅଟେ।
4 କିନ୍ତୁ ତାହାର ଶେଷ ଦଶା ନାଗଦଅଣା ନ୍ୟାୟ ପିତା,
ଦ୍ୱିଧାର ଖଡ୍ଗ ତୁଲ୍ୟ ତୀକ୍ଷ୍ଣ।
5 ତାହାର ପାଦ ମୃତ୍ୟୁୁ ଆଡ଼କୁ ଓହ୍ଲାଇଯାଏ;
ତାହାର ପାଦ ସିଧା କବରରେ ପଡ଼େ;
6 ଏଣୁ ସେ ଜୀବନର ସମାନ ପଥ ପାଏ ନାହିଁ;
ତାହାର ପଥସବୁ ଚଞ୍ଚଳ, ଆଉ ସେ ତାହା ଜାଣେ ନାହିଁ।
7 ଏହେତୁ ହେ ମୋହର ପୁତ୍ରମାନେ, ମୋʼ କଥା ଶୁଣ
ଏବଂ ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ।
8 ତାହା (ସେହି ସ୍ତ୍ରୀ) ଠାରୁ ଆପଣା ପଥ ଦୂରରେ ରଖ
ଏବଂ ତାହାର ଗୃହର ଦ୍ୱାର ନିକଟକୁ ଯାଅ ନାହିଁ।
9 କେଜାଣି ତୁମ୍ଭେ ଅନ୍ୟମାନଙ୍କୁ ଆପଣା ଇଜ୍ଜତ
ଓ ନିର୍ଦ୍ଦୟ ଲୋକଙ୍କୁ ଆପଣାର ପରମାୟୁ ଦେବ;
10 କେଜାଣି ଅପରିଚିତ ଲୋକମାନେ ତୁମ୍ଭ ବଳରେ ପୂର୍ଣ୍ଣ ହେବେ
ଏବଂ ତୁମ୍ଭ ଶ୍ରମର ଫଳ ବିଦେଶୀର ଗୃହରେ ଥୁଆଯିବ;
11 ଆଉ ତୁମ୍ଭ ଶେଷ ଅବସ୍ଥାରେ
ଯେତେବେଳେ ତୁମ୍ଭ ମାଂସ ଓ ଶରୀର କ୍ଷୟ ପାଏ,
ତୁମ୍ଭେ କେଜାଣି ବିଳାପ କରିବ,
12 ଆଉ କହିବ, “ମୁଁ ଉପଦେଶ କିପରି ଘୃଣା କଲି!
ପୁଣି, ମୋହର ମନ ଅନୁଯୋଗକୁ କିପରି ତୁଚ୍ଛ କଲା!
13 ମୁଁ ଆପଣା ଶିକ୍ଷକମାନଙ୍କ କଥା ମାନିଲି ନାହିଁ
ଓ ଯେଉଁମାନେ ମୋତେ ଶିକ୍ଷା ଦେଲେ,
ସେମାନଙ୍କ ବାକ୍ୟ ପ୍ରତି ଆପଣା କାନ ଡେରିଲି ନାହିଁ,
14 ମୁଁ ସମାଜ ଓ ମଣ୍ଡଳୀ ମଧ୍ୟରେ ପ୍ରାୟ ସର୍ବପ୍ରକାର ଦୁର୍ଦ୍ଦଶାରେ ପଡ଼ିଲି।”
15 ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର
ଓ ନିଜ କୂପରୁ ସ୍ରୋତଜଳ ପାନ କର।
16 ତୁମ୍ଭର ନିର୍ଝର କʼଣ ବାହାରେ ଏଣେତେଣେ ବିସ୍ତାରିତ ହେବ?
ଓ ରାଜଦାଣ୍ଡରେ କʼଣ ଜଳସ୍ରୋତ ବହିଯିବ?
17 ତାହା କେବଳ ତୁମ୍ଭର ହେଉ,
ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ।
18 ତୁମ୍ଭର ନିର୍ଝର ଧନ୍ୟ ହେଉ;
ଆଉ, ତୁମ୍ଭେ ଆପଣା ଯୌବନ କାଳର ଭାର୍ଯ୍ୟାଠାରେa ଆମୋଦ କର।
19 ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟୀ ପରି,
ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ;
ଆଉ, ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ।
20 ହେ ମୋହର ପୁତ୍ର, ପରକୀୟାଠାରେ ତୁମ୍ଭେ କାହିଁକି ଆସକ୍ତ ହେବ?
ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ?
21 ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ
ଓ ସେ ତାହାର ସବୁ ପଥ ସମାନ କରନ୍ତି।
22 ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ,
ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ।
23 ସେ ଉପଦେଶ ଅଭାବରେ ମରିଯିବ
ଓ ଆପଣା ଅଜ୍ଞାନତାର ବୃଦ୍ଧିରେ ଭ୍ରାନ୍ତ ହେବ।